ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି ହିମାଚଳ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

ଶିମ୍‌ଲା: ହିମାଚଳ‌ ପ୍ରଦେଶରେ ବିଜୟ ହାସଲ କରିବା ପରେ ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ଚାଲେଞ୍ଜ୍‌- ମୁଖ୍ୟମନ୍ତ୍ରୀ ଚୟନ କରିବା ଲାଗି ଆଜି କଂଗ୍ରେସ ବିଧାୟକମାନଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନ୍ୟୂନ ୪ଜଣ ଆଶାୟୀ ଅଛନ୍ତି।

ଆଉ ଘୋଡ଼ାବପାର ଆଶଙ୍କା ନ ଥିବାରୁ ଆଜି ଅପରାହ୍ଣ ୩ଟା ବେଳେ ଶିମ୍‌ଲାସ୍ଥିତ କଂଗ୍ରେସ ମୁଖ୍ୟାଳୟ ରାଜୀବ ଭବନରେ ଉପରୋକ୍ତ ବେଠକ ବସିବ। ବୈଠକରେ ଯୋଗ ଦେବା ଲାଗି ବରିଷ୍ଠ ନିର୍ବାଚନ ତତ୍ତ୍ବାବଧାରକ ଭୂପେଶ ବଘେଲ, ପ୍ରଭାରୀ ରାଜୀବ ଶୁକ୍ଳା ଏବଂ ଭୂପେନ୍ଦ୍ର ସିଂହ ହୂଦା ଆଜି ଅପରାହ୍ଣ ୧ଟା ବେଳକୁ ଶିମ୍‌ଲାରେ ପହଞ୍ଚିବେ।

ପ୍ରତିଭା ସିଂହ ହେଉଛନ୍ତି ମଣ୍ଡିର ଲୋକସଭା ସାଂସଦ ଏବଂ ପୂର୍ବତନ ରାଜପରିବାରର ସଦସ୍ୟା। ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନ ଥିଲେ ବି କଂଗ୍ରେସର ପ୍ରଚାର ଅଭିଯାନକୁ ଫଳପ୍ରଦ ନେତୃତ୍ବ ଦେଇଛନ୍ତି। ତିନି ଦଶନ୍ଧି ଧରି ହିମାଚଳ ପ୍ରଦେଶ କଂଗ୍ରେସର ନେତୃତ୍ବ ନେଇଥିବା ବୀରଭଦ୍ର ସିଂହଙ୍କ ଅନୁଗତ୍ୟ ବିଧାୟକମାନେ ପ୍ରତିଭାଙ୍କୁ ସମର୍ଥନ କରୁଛନ୍ତି।

ଶିମ୍‌ଲା ଗ୍ରାମୀଣ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିବା ତାଙ୍କ ପୁତ୍ର ବିକ୍ରମାଦିତ୍ୟ ସିଂହ ମଧ୍ୟ ଗତକାଲି କହିଥିଲେ, ପୁଅ ଭାବେ ମୁଁ ଚାହେଁ ପ୍ରତିଭାଜୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପାଆନ୍ତୁ। ପୁଅ ଛଡ଼ା, ମୁଁ ବି ଦଳର ଜଣେ ଦାୟିତ୍ବବାନ ନେତା। ତଥାପି ଦଳ ଯାହା ନିଷ୍ପତ୍ତି ନେବ ଆମେ ତାହା ସ୍ବୀକାର କରିବୁ। ମୁଁ ନିଶ୍ଚିତ ଦଳ ଜନସାଧାରଣଙ୍କ ଇଚ୍ଛକୁ ବିଚାରକୁ ନେବ।

ପ୍ରତିଭାଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଉ ୩ଜଣ ପ୍ରତିବାଦୀ ଅଛନ୍ତି। ସେମାନେ ହେଉଛନ୍ତି, ରାଜ୍ୟର ପୂର୍ବତନ କଂଗ୍ରେସ ମୁଖ୍ୟ ସୁଖୱିନ୍ଦର୍‌ ସିଂହ ସୁଖୁ, ବିଧାୟକ ଦଳର ପୂର୍ବତନ ନେତା ମୁକେଶ ଅଗ୍ନିହୋତ୍ରୀ ଏବଂ ହର୍ଷବର୍ଦ୍ଧନ ଚୌହାନ।

ଉଲ୍ଲେଖଯୋଗ୍ୟ, ସମୁଦାୟ ୬୮ ବିଧାନସଭା ଆସନରୁ ୪୦ଟି ଆସନରେ ବିଜୟ ହାସଲ କରି କଂଗ୍ରେସ ହିମାଚଳ ପ୍ରଦେଶରୁ ‘ବିଜେପି’ର ‘ଡବଲ୍‌-ଇଞ୍ଜିନ୍‌ ସରକାର’କୁ ବିତାଡ଼ିତ କରିଛି।

Leave a Reply

Your email address will not be published. Required fields are marked *