ଉପକୂଳ ପରିବହନ ଓ ପର୍ଯ୍ୟଟନ ବିକାଶ ସ୍ବପ୍ନ ଚୂନା: ଭାରତମାଳା ପ୍ରକଳ୍ପରୁ ବାଦ୍‌ ପଡ଼ିଲା ଗଞ୍ଜାମ

ବ୍ରହ୍ମପୁର : ଓଡ଼ିଶା ଉପକୂଳର ପ୍ରତ୍ୟେକ ଜିଲ୍ଲାକୁ ସଡ଼କପଥରେ ସିଧାସଳଖ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଭାରତମାଳା ପ୍ରକଳ୍ପ ହାତକୁ ନେଇଥିଲେ। ଏହି ପ୍ରକଳ୍ପ ଜରିଆରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ, ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଏଥିରୁ ବାଦ୍‌ ପଡ଼ିଛି।
ନୂତନ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରୁ ‌ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍‌ ହାଇ‌ୱେ ନିର୍ମାଣ କରାଯିବାକୁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ଯୋଗୁଁ ଗଞ୍ଜାମ ଜିଲ୍ଲାର ପରିବହନ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ସ୍ବପ୍ନ ଚୂନା ହୋଇଯାଇଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଏଣୁ କେନ୍ଦ୍ର ସରକାର ଏ ଦିଗରେ ଦୃଷ୍ଟି ଦେଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ଗଞ୍ଜାମ ଜିଲ୍ଲାକୁ ପ୍ରକଳ୍ପରେ ସାମିଲ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଭାରତମାଳା ପରିୟୋଜନା ଜରିଆରେ ଗତ ୨୦୧୫ରେ ଓଡ଼ିଶାରେ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା। ପ୍ରାଥମିକ ପ୍ରସ୍ତାବରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ୮ହଜାର କୋଟି ଟଙ୍କାରେ ପ୍ରାୟ ୪୫୧କିମି ପର୍ଯ୍ୟନ୍ତ କୋଷ୍ଟାଲ୍‌ ହାଇୱେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇସାଲ୍‌ କମିଟି(ଇଏସି)ର ପରାମର୍ଶ କ୍ରମେ ଏହାକୁ ୩୮୨କିମିକୁ ହ୍ରାସ କରି ଦିଆଯାଇଥିଲା। ଜାତୀୟ ରାଜପଥ ଟାଙ୍ଗୀଠାରୁ ଆରମ୍ଭ ହୋଇ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ପାରାଦୀପ ବନ୍ଦର, ଧାମରା, ରତ୍ନପୁର ଦେଇ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍‌ ହାଇୱେ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଭଳି ନିଷ୍ପତ୍ତି ପରେ ଗଞ୍ଜାମ ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *