ହିଜାବ୍‌ ବିରୋଧୀ ପ୍ରତିବାଦ ବେଳେ ଇରାନୀୟ ମହିଳାଙ୍କ ଆଖି, ଛାତି ଓ ଜଙ୍ଘରେ ଗୁଳି ମରାଯାଇଛି: ରିପୋର୍ଟ

ନୂଆଦିଲ୍ଲୀ: ଇରାନ୍‌ରେ ହିଜାବ୍‌ ବିରୋଧୀ ପ୍ରତିବାଦ ସମୟରେ ଇରାନୀୟ ମହିଳାଙ୍କ ମୁହଁ, ଆଖି, ଛାତି ଓ ଗୁପ୍ତାଙ୍ଗରେ ଗୁଳି ମରାଯାଇଥିବା କଥା ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି।

ଏଥିସହ ପ୍ରତିବାଦକାରୀ ମହିଳାମାନଙ୍କୁ ବେତ୍ରାଘାତ କରାଯିବା ସହିତ ହାତକଡ଼ି ପକାଯାଇଥିଲା।

ଗୁଳି ଚୋଟରେ ଆହତ ମହିଳାମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କଠାରୁ ସୂଚନା ସଂଗ୍ରହ କରି ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି, ନିରାପତ୍ତା ବଳ ଅତି ନିକଟରୁ ମହିଳାମାନଙ୍କ ମୁହଁ, ଛାତି ଓ ଗୁପ୍ତାଙ୍ଗକୁ ଲକ୍ଷ୍ୟ କରି ‘ଛରା’ (ଚଢ଼େଇ ଆଦି ମାରିବାକୁ ବ୍ୟବହୃତ ସୀସା ଗୁଳି) ଚଳାଉଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ସଂଗ୍ରହ କରିଥିବା ଫଟୋରେ ମଧ୍ୟ ଦେଖାଯାଉଛି ଯେ, ଲୋକମାନଙ୍କ ଦେହରେ ବହୁଗୁଡ଼ିଏ ଛୋଟ ଛୋଟ ବଲ୍‌ ସଦୃଶ ଗୁଳି ବିଦ୍ଧ ହୋଇ ରହିଛି। କିନ୍ତୁ, ପୁରୁଷମାନଙ୍କ ଗୋଡ଼, ପିଚା ଓ ପିଠିକୁ ଲକ୍ଷ୍ୟ କରି ଗୁଳି ଚଳାଯାଇଛି।

ଆହତ ପୁରୁଷ ଓ ମହିଳାମାନଙ୍କୁ ଚିକିତ୍ସା କରିଥିବା ଜଣେ ଡାକ୍ତର କହିଛନ୍ତି, ମୁଁ ଚିକିତ୍ସା କରିଥିବା ଜଣେ ୨୦ ବର୍ଷୀୟ ତରୁଣୀଙ୍କ ଗୁପ୍ତାଙ୍ଗରେ ୨ଟି ଗୁଳି ବିଦ୍ଧ ହୋଇଥିବା ଦେଖିଥିଲି। କେବଳ ସେତିକି ନୁହେଁ ତାଙ୍କ ଜଙ୍ଘ ଅଭ୍ୟନ୍ତର ଅଂଶରୁ ଆଉ ୧୦ଟି ଗୁଳି ବାହାରିଥିଲା। ଏହି ୧୦ଟି ଗୁଳିକୁ ସହଜରେ କଢ଼ାଯାଇଥିଲା। କିନ୍ତୁ, ଗୁପ୍ତାଙ୍ଗରେ ବିଦ୍ଧ ହୋଇଥିବା ଗୁଳି ଦୁଇଟି କାଢ଼ିବା ଥିଲା କାଠିକର ପାଠ।

ଉଲ୍ଲେଖଯୋଗ୍ୟ, ଠିକ୍‌ରୂପେ ହିଜାବ୍‌ ପିନ୍ଧି ନ ଥିବା କାରଣରୁ ମୋରାଲ୍‌ ପୁଲିସ ନିର୍ଯାତନାରେ ୨୨ ବର୍ଷୀୟ ମାଶା ଅମିନି ମୃତ୍ୟୁବରଣ କରିବା ପରେ ସେପ୍ଟେମ୍ବର ୧୬ରୁ ଇରାନ୍‌ରେ ହିଜାବ ବିରୋଧୀ ପ୍ରତିବାଦ ଚାଲିଛି।

Leave a Reply

Your email address will not be published. Required fields are marked *