ସମ୍ମାନ, ସୁରକ୍ଷା ଓ ଅଧିକାର ଆମର ହକ୍।ନ ଦେଲେ ଛଡାଇ ନେବୁ

ଗଣମାଧ୍ୟମକୁ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବର ମାନ୍ୟତା ମିଳିଛି। ପ୍ରିଣ୍ଟ ମିଡିଆ ହେଉ ବା ସାଟେଲାଇଟ ଅବା ଡିଜିଟାଲ ସମସ୍ତେ ନିଜ ନିଜର ସ୍ଥାନରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମାତ୍ର ବଡ଼ବଡ଼ ନ୍ୟୁଜ ଚ୍ୟାନେଲରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଯେଉଁସବୁ ସୁବିଧା ମିଳୁଛି ତା ତୁଳନାରେ ଡିଜିଟାଲ ମିଡିଆ ସାମ୍ବାଦିକଙ୍କୁ ଅଣଦେଖା କରାଯାଉଛି। ଅନେକ ସ୍ଥାନରେ ଫ୍ରଣ୍ଟଲାଇନ ମିଡିଆ ଖବର ପହଞ୍ଚାଇବା ପାଇଁ ବିଳମ୍ବ ହେଉଥିବା ବେଳେ ଡିଜିଟାଲ ମିଡିଆ ଅବିଳମ୍ବେ ଏହାକୁ ପରିବେଷଣ କରୁଛି। ଏଭଳି ସ୍ଥଳରେ ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକଙ୍କ ଭୂମିକା ଯଥେଷ୍ଟ ଅଧିକ। ଓଡ଼ିଏମଏମ (ଓଡିଶା ଡିଜିଟାଲ ମିଡିଆ ମହାସଂଘ)ର କଟକ ଜିଲ୍ଲା ବୈଠକରେ ସଂଘ ଦୃଢୋକ୍ତି ବାଢିଛି ଯେ ଅନ୍ୟ ସାମ୍ବାଦିକଙ୍କ ଭଳି ସମ୍ମାନ, ସୁରକ୍ଷା ଓ ଅଧିକାର ଆମର ହକ୍। ବିଭିନ୍ନ ସ୍ଥାନରେ ଡିଜିଟାଲ ମିଡିଆ ସାମ୍ବାଦିକଙ୍କ ସହ ପାତରଅନ୍ତର ନୀତି ଅବଲମ୍ବନ ସହ ସାମ୍ବାଦିକ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ ଡିଜିଟାଲ ମିଡିଆ ସାମ୍ବାଦିକଙ୍କ ପାଇଁ କିଛି ଖାସ ବ୍ୟବସ୍ଥା ନାହିଁ। ଏଣୁ ଆଗାମୀ ଦିନରେ ଯଦି ଫ୍ରଣ୍ଟଲାଇନ ମିଡିଆ ସାମ୍ବାଦିକଙ୍କ ଭଳି ସମାନ ସୁବିଧା ସୁଯୋଗ ଡିଜିଟାଲ ମିଡିଆ ସାମ୍ବାଦିକଙ୍କୁ ଯୋଗାଇ ନ ଦିଆଯାଏ ତେବେ ସଂଘ ନିଜ ଅଧିକାର ଛଡାଇ ନେବ ବୋଲି ଚେତାବନୀ ଦେଇଛି। ଆବଶ୍ୟକ ପଡ଼ିଲେ ନିଜ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *