ନକଲି ଔଷଧ କେଳେଙ୍କାରୀ: ଆଉ ଏକ ଭୂତସଂସ୍ଥା ଠାବ

କଟକ : ବିହାର ପାଟଣାର ଔଷଧ ମାଫିଆ ବିକାଶ କୁମାର ଭୂତ କମ୍ପାନି ନାଁରେ କଟକରେ କୋଟିଏ ଟଙ୍କା ଔଷଧ ବିକ୍ରି କରିଛି। ଯେଉଁ କମ୍ପାନି ନାଁରେ ଔଷଧ ପଠାଯାଉଥିଲା, ସେଭଳି କୌଣସି କମ୍ପାନି ପାଟଣାରେ ନଥିବା ଜଣାପଡ଼ିଛି। ଗତ ଜୁନ୍‌ ମାସରୁ ବିକାଶ ପାଟଣାରେ ଏକ ଗୋଦାମରେ ଔଷଧ ଗଚ୍ଛିତ ରଖି ଓଡ଼ିଶା ପଠାଉଥିଲା। ତାକୁ ଦିଲ୍ଲୀ, ପଞ୍ଜାବରୁ ଔଷଧ ମାଫିଆ ଔଷଧ ଯୋଗାଣ କରିଥିବା ସେ ପୁଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛି। କଟକରେ ନକଲି ଔଷଧ ପହଞ୍ଚିବା ପଛରେ ଗୋଟିଏ ବଡ଼ ନେଟଵାର୍କ କାମ କରୁଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।

ଉଚ୍ଚରକ୍ତଚାପ ଔଷଧ ‘ଟେଲ୍‌ମା ୪୦’ ନକଲି କେଳେଙ୍କାରୀ ମାମଲାରେ ପୁରୀଘାଟ ଥାନା ପୁଲିସ ଗଲା ୬ ତାରିଖରେ ପାଟଣା ଜିଲ୍ଲା ନୟାତୁଲ୍ଲା ଭାଗବତନଗରରୁ ବିକାଶ କୁମାରକୁ ଗିରଫ କରିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ବିକାଶ ନିଜେ ଔଷଧ ପ୍ରସ୍ତୁତ କରୁଥିବା ନେଇ ଦୁଇ ମାଫିଆ ବିହାର ଗୟା ଜିଲ୍ଲା ରାମପୁରର ଆଲୋକ କୁମାର ମିଶ୍ରା ଓ ହରିଶ କୁମାର ଯେଉଁ ତଥ୍ୟ ପୁଲିସକୁ ଦେଇଥିଲେ, ଏଥିରେ ସତ୍ୟାସତ୍ୟ ନଥିବା ଜଣାପଡ଼ିଛି। ବିକାଶର ପାଟଣା ସହରରେ ନିଜର ଗୋଟିଏ ଔଷଧ ଗୋଦାମ ଥିବାବେଳେ ଭାଇ ଓ ଭାଉଜଙ୍କ ନାଁରେ ଦୁଇଟି ପୃଥକ୍‌ ଗୋଦାମ ରହିଛି। ବିକାଶ ଏହି ଗୋଦାମରେ ନକଲି ଔଷଧ ଗଚ୍ଛିତ ରଖୁଥିଲା। ଏହି ଔଷଧ ଆମଦାନୀ ପଛରେ ଅନ୍ୟ ମାଫିଆଙ୍କ ସମ୍ପୃକ୍ତି ରହିଛି।

Leave a Reply

Your email address will not be published. Required fields are marked *